ସମ୍ପାଦକୀୟ…

ମହାଶୟ/ମହାଶୟା,

        ପବିତ୍ର ଉତ୍କଳ ଦିବସରେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏପରି ଏକ ମହାନ ତଥା ପବିତ୍ର ଦିନରେ ନବପଲ୍ଲବର ଦ୍ଵିତୀୟ ସଂସ୍କରଣକୁ ଟେକି ଦେଉଛୁ ଆପଣମାନଙ୍କ ହାତରେ । ପ୍ରଥମ ସଂସ୍କରଣର ଅପାର ସଫଳତା ପରେ ଦ୍ଵିତୀୟ ସଂସ୍କରଣକୁ ଆଜିର ଦିନରେ ପ୍ରକାଶିତ କରି ଆମର ମହାନ ସଂସ୍କୃତି, ପରମ୍ପରା ତଥା ଭାଷାପ୍ରତି ଆମର ଉତ୍ତରଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିଛୁ ମାତ୍ର ।

      ବର୍ଷ ବର୍ଷଧରି ଏ ଜାତି ଉପରେ ହୋଇ ଆସିଛି ବାହ୍ୟ ଆକ୍ରମଣ । କେବେ ଦାକ୍ଷିଣାତ୍ୟର ହିନ୍ଦୁ ଶାସକ ହୋଇ, କେବେ ମାଗଧୀ ଅତ୍ୟାଚାର ହୋଇ, କେବେ ମରହଟ୍ଟା ହୋଇ, କେବେ ମୋଗଲର ଲୋଲୁପ ଦୃଷ୍ଟି ହୋଇ ତ’ କେବେ ଇଂରେଜର ଦମନ ଲୀଳା ହୋଇ । ବର୍ଷ ବର୍ଷ ଧରି ହୋଇଛି ନିର୍ଯାତିତା, ଭୂ-ଲୁଣ୍ଠିତା, ପୁଣି ସହିଛି ପ୍ରକୃତିର କରାଳ ତାଣ୍ଡବକୁ । ନଅଙ୍କ ଦୁର୍ଭିକ୍ଷର ହାହାକାର, ମହାବାତ୍ୟାର ପ୍ରକୋପ, ବନ୍ୟା, ବାତ୍ୟା ଆଉ କାହିଁ କେତେ କ’ଣ । ତଥାପି ମରିଯାଇନି କି ହାରି ଯାଇନି, ନିଜର ଧୂଳି ଧୂସରିତ ପରମ୍ପରା ଓ ସଂସ୍କୃତିକୁ ଦୁଇ ହାତରେ ସାଉଁଟି ବାରମ୍ବାର ଅଣ୍ଟା ସଳଖି ଠିଆ ହୋଇଛି । ସେଇ ତ’ ତାର ପ୍ରାଣକେନ୍ଦ୍ର ! ତାକୁ ଛାଡ଼ିଦେଲେ ଏ ଜାତିଟାର ଅସ୍ତିତ୍ୱ କାହିଁ? ଯୁଗେ ଯୁଗେ ଅନ୍ୟ ସଂସ୍କୃତିକୁ ବଳପୂର୍ବକ ଅପଣେଇବାର ବୃଥା ପ୍ରୟାସ ସତ୍ତ୍ୱେ ନିଜର ମୌଳିକତାକୁ ପ୍ରତ୍ୟେକ ଜନମାନସର ହୃଦୟରେ ଉଦ୍ଜୀବିତ କରି ରଖିଛନ୍ତି ଏ ଜାତିର ମହାନ ଦାୟାଦମାନେ, କେବେ ସାରଳା ଦାସ ହୋଇ, କେବେ ଗଜପତି ରାମଚନ୍ଦ୍ର ଦେବ ହୋଇ, କେବେ ଗୋପବନ୍ଧୁ ହୋଇ, କେବେ ଫକୀର ମୋହନ ହୋଇ, ତ’ କେବେ ଗଙ୍ଗାଧର ବା ମଧୁସୂଦନ ହୋଇ । ଆଜିବି ସେହି ସଂସ୍କୃତି, ସେହି ପରମ୍ପରା ନୀଳଚକ୍ରରେ ବନ୍ଧାହୋଇ ଫର ଫର ହୋଇ ସୁଚେଇ ଦେଉଛି କି ଏ ଜାତି କେବେ ମରି ପାରେନା । ବିଶ୍ୱ ଇତିହାସରେ ବୋଧହୁଏ ଆମେ ଏକମାତ୍ର ଜାତି, ଯିଏ ତିଷ୍ଟିରହିଛି ନିଜର ମୌଳିକତାକୁ ନେଇ, ଭାଷାକୁ ନେଇ, ପରମ୍ପରାକୁ ନେଇ, ସଂସ୍କୃତିକୁ ନେଇ । ଆମେ ଆଜି ଏପରି ଏକ ମହାନ ଜାତିର ଉତ୍ତର ଦାୟାଦ ହୋଇ ଠିଆହୋଇଛେ ମୁଣ୍ଡ ଟେକି । ଆଜି ବି ପୃଥିବୀର କୋଣ ଅନୁକୋଣରେ ବସି ମଧ୍ୟ ନିଜ ଅସ୍ତିତ୍ୱକୁ ପାଶୋରି ଦେଇନି ଓଡ଼ିଆ ପୁଅ ଝିଅ | ଇଣ୍ଟରନେଟରେ ଭାଷା ସଂସ୍କୃତିକୁ ନେଇ ସେ କରୁଛି ଆନ୍ଦୋଳନ । ପଖାଳ ଠାରୁ ରସଗୋଲା, ଧନୁଯାତ୍ରା ଠାରୁ ରଥଯାତ୍ରା । ସବୁରି ଭିତରେ ଖୋଜୁଛି ସେ ନିଜ ଗୌରବମୟ ଐତିହ୍ୟକୁ | ଆମେରିକାରେ ରହି ପାଳୁଛି ଉତ୍କଳ ଦିବସ ତ’ ବାଙ୍ଗାଲୋରରେ ରହି ପାଳୁଛି ନୂଆଖାଇ ପୁଣି ରସଗୋଲାକୁ ନେଇ କରୁଛି ଆନ୍ଦୋଳନ ।

      ଓଡ଼ିଆ ଐତିହ୍ୟ, ଭାଷା ଓ ସଂସ୍କୃତିର ଏ ଜୟ ଯାତ୍ରା ଏମିତି ଆଗକୁ ବଢ଼ିଚାଲୁ ଓ ଆମେ ଗୁଣ୍ଡୁଚି ମୂଷା ସମ ଆମର ଯୋଗଦାନ ଦେଇ ଚାଲୁଥାଏ ।

      ଦ୍ଵିତୀୟ ସଂସ୍କରଣରେ ଲେଖକ ଲେଖିକାମାନଙ୍କ ସହଯୋଗ ଆମକୁ ବିସ୍ମିତ କରିଛି । ଏତେ ସଂଖ୍ୟାରେ ଲେଖା ଆସି ପହଞ୍ଚିବା ଆମର ପାଠକୀୟ ଆଦରତାକୁ ପ୍ରତିପାଦନ କରୁଛି ନିଶ୍ଚୟ । ଆଗକୁ ମଧ୍ୟ ସହଯୋଗ କାମ୍ୟ । ମତାମତ ଅପେକ୍ଷାରେ…

ଓଡ଼ିଆ ନୂତନ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଆଗୁଆ ଶୁଭେଚ୍ଛା ସହ…

ଜୟ ଜଗନ୍ନାଥ

ସଦ୍ୟ ପ୍ରକାଶିତ ଲେଖାଟି ଡାଉନଲୋଡ୍ କରନ୍ତୁ

Image result for down finger image

Nabapallaba 2nd Edition
୨ୟ ସଂସ୍କରଣ

ନବପଲ୍ଲବ ଗୀତImage result for down finger image

ନବପଲ୍ଲବ ପ୍ରଥମ ସଂସ୍କରଣ ଅଡ଼ିଓImage result for down finger image

​​